ReadHear

ଅଣସର

ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଶ୍ରୀମନ୍ଦିରରେ ପାଳିତ ହେଉଥିବା ମହାପ୍ରଭୁ ଜଗନ୍ନାଥଙ୍କ ଅଣସର ନୀତି ଓ ପରମ୍ପରା ବିଷୟରେ ଏକ ସୁନ୍ଦର ବିବରଣୀ।

Belum ada audio Mula membaca

Teks ini sedia untuk dibaca. 1,314 patah perkataan, kira-kira 7 minit. Laraskan saiz teks, jarak baris dan warna halaman mengikut cita rasa anda, dan sambung membaca dari tempat terakhir.

Audio belum dihasilkan lagi. Simpan ke perpustakaan anda dan anda akan menemuinya di sini apabila ia sedia.

Mahukan sesuatu untuk didengar sekarang: 4 teks dengan audio →

ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତିନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ । ଦେବସ୍ନାନ ପୂର୍ଣ୍ଣିମା ଦିନ ଦେବସ୍ନାନ ମଣ୍ଡପରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କ ପ୍ରତିମା ଉପରେ ସୁନାକୂଅର ଅଧିବାସ ହୋଇ ରହିଥିବା ୧୦୮ ଗରା ଜଳ ଢଳାହୋଇ ସ୍ନାନ କରାଯାଏ । ଲଗାତର ୨୧ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପଖେଳିବା ପରେ ଶ୍ରୀଜୀଉମାନେ ୧୦୮ ଗରା ଜଳରେ ସ୍ନାନ କରିବାରୁ ତାଙ୍କୁ ଜ୍ୱର ହୋଇଛି ବୋଲି ଯାତ୍ରୀମାନଙ୍କୁ କୁହାଯାଏ । ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ (ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ) ନିଅନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି । ବର୍ଷକ ବାର ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ମାସ ଏବଂ ଦଇତାମାନଙ୍କ ସେବା ଏକ ମାସ । ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ଯାଏଁ ଚଉଦଦିନ ଧରି କରାଯାଇଥାଏ ।

ପଟିଦିଅଁ

ଅଣସର ସମୟରେ ଅଣସର ଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ ।

ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇବେ । ତେବେ ଦାରୁ ଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟ୍ଟଚିତ୍ର ଗୁଡ଼ିକ ସେହି ଆକୃତିର ନୁହେଁ । କାଷ୍ଠ ନିର୍ମିତ ସୁଦୃଶ୍ୟ ଆସରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ଚତୁଃହସ୍ତ ଓ ଦୁଇପଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାଆନ୍ତି । ବଳଭଦ୍ରଙ୍କ କଳେବର ଶ୍ୱେତବର୍ଣ୍ଣରେ ଚିତ୍ରିତ ହେଇଥାଏ । ଚତୁଃହସ୍ତରେ ସେ ଧରିଥାଆନ୍ତି ଶଙ୍ଖ, ଚକ୍ର, ଗଦା ଓ ହଳ । ହରିଦ୍ର ବର୍ଣ୍ଣା ସୁଭଦ୍ରା ଦୁଇ ଉର୍ଦ୍ଧ୍ୱ ହସ୍ତରେ ପଦ୍ମ ଧରିଥାଆନ୍ତି ଓ ନିମ୍ନ ହସ୍ତ ଦୁଇଟି ଥାଏ ବରଦା ମୁଦ୍ରାରେ । କଳା ରଙ୍ଗରେ ଚିତ୍ରିତ ଜଗନ୍ନାଥ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥାଆନ୍ତି । ସମସ୍ତ ଦେବତାଙ୍କ ପୃଷ୍ଠପଟ୍ଟ ଗାଢ଼ନାଲି ରଙ୍ଗ ହେଇଥାଏ । ଅଣସର ପଟି ତିନୋଟିକୁ ବଂଶାନୁକ୍ରମେ କେତେକ ଚିତ୍ରକର ଖୁବ ନିଷ୍ଠାରେ ପ୍ରସ୍ତୁତ କରିଥାଆନ୍ତି । ଚିତ୍ର କରିବା ସମୟତକ ସେମାନେ ନିରାମିଷା ଭକ୍ଷଣ କରନ୍ତି । କାମ ଚାଲିଥିବା କୋଠରୀକୁ ସ୍ତ୍ରୀ ଲୋକଙ୍କ ପ୍ରବେଶ ନିଷେଧ ଥାଏ । ଚିତ୍ର ପାଇଁ ଧଳାରଙ୍ଗ ଶଙ୍ଖଚୂର୍ଣ୍ଣ ରୁ ପ୍ରସ୍ତୁତ ହେଉଥିବା ବେଳେ, କଳାରଙ୍ଗ ନିମନ୍ତେ ପୋଲାଙ୍ଗ ଦୀପର କଳା, ହିଙ୍ଗୁଳରୁ ନାଲି, ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ । ସ୍ନାନ ପୂର୍ଣ୍ଣିମା ଦିନ ଗଭୀର ରାତିରେ, ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟ୍ଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି । ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏଁ ଏକ ପକ୍ଷ ବ୍ୟାପି ଏହି ପଟି ଦେବତାଙ୍କ ଆଗରେ ଭୋଗ ବଢ଼ାଯାଏ । ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନଭୋଗ କରାଯାଇଥାଏ । ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାରପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖନ୍ତି । ବଳଭଦ୍ରଙ୍କ ଆସ୍ଥାନ ସମୀପରେ ରାମ, ନୃସିଂହ ଓ ଦୋଳଗୋବିନ୍ଦଙ୍କ ବିଗ୍ରହ ରହେ, ସୁଭଦ୍ରାଙ୍କ ସମୀପରେ ରହେ ଶ୍ରୀଦେବୀ (ଲକ୍ଷ୍ମୀ) ଙ୍କ ସୁବର୍ଣ୍ଣ ବିଗ୍ରହ ଓ ଭୂଦେବୀ (ସରସ୍ୱତୀ)ଙ୍କ ରୂପା ବିଗ୍ରହ ଦ୍ୱୟ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରହେ ମଦନମୋହନ ଓ କୃଷ୍ଣଙ୍କ ପ୍ରତିମୂର୍ତ୍ତି । ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁରୂପରେ ଦର୍ଶନ କରିଥାନ୍ତି ।

ଅଣସର ନୀତି

କରାଳ କର୍ମ: ଆଷାଢ଼ କୃଷ୍ଣ ପ୍ରତିପଦରୁ ଚତୁର୍ଥୀ: ବିଗ୍ରହ ଗୁଡିକର ମରାମତି ସହ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ । ଶ୍ରୀଅଙ୍ଗରେ ଲାଗିଥିବା କସ୍ତୁରୀ, ଝୁଣା, ଚୁଆ, ଓ ଚନ୍ଦନ ଲେପକୁ ଅଲଗା କରାଯାଏ । ଅଲଗା ହୋଇଥିବା ପଦାର୍ଥମାନଙ୍କୁ "କରାଳ" କୁହାଯାଏ । ଶ୍ରୀଅଙ୍ଗ ଫିଟା: ସ୍ନାନମଣ୍ଡପରେ ସ୍ନାନଦ୍ୱାରା ଓଦା ପାଟ ବସ୍ତ୍ରକୁ ଅଣସର ଗୃହରେ ଓଲାଗି କରାଯାଏ । ଏହାକୁ ଶ୍ରୀଅଙ୍ଗ ଫିଟା କୁହାଯାଏ । ଏହି ସମୟରେ ଦାରୁ ରୂପକୁ କରାଳ ରୂପ କରାଯାଏ । ଶ୍ରୀଅଙ୍ଗ ଫିଟା ଓ କରାଲ ହେଉଛି ଶ୍ରୀଅଙ୍ଗ ନିରାପତ୍ତା ପାଇଁ ଏକ ପ୍ରତିଷେଧକ ବ୍ୟବସ୍ଥା । ଫୁଲରି ତେଲ ଲାଗି: ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ: ବଡ଼ ଓଡ଼ିଆ ମଠ ଏହି ସେବା ପାଇଁ ଆବଶ୍ୟକୀୟ ପଦାର୍ଥ (କର୍ପୂର, ଚୂଆ, ପରଖ, ପିଙ୍ଗଳ ଓ ରାଶିତେଲ) ଯୋଗାଇଥାଆନ୍ତି । ଏହା ପୂର୍ବ ବର୍ଷ ହେରା ପଞ୍ଚମୀଠାରୁ ମାଟି ତଳେ ପୋତା ହୋଇ ରଖାଯାଇଥାଏ ।

ପଇତା ଲାଗି: ଅନସରରେ କେତେକ ସ୍ୱତନ୍ତ୍ର ନୀତିରେ ପାଟକନାକୁ ଛେଚି ବିଗ୍ରହମାନଙ୍କ ଦେହରେ ଛକି ପଡିଲା ଭଳି ବନ୍ଧାଯାଏ । ତାହା ଉପରେ ଚନ୍ଦନ ଲାଗି କରାଯାଏ । ଏହାକୁ ପଇତା ଲାଗି କୁହାଯାଏ । ବିଗ୍ରହରେ ଯେଉଁ ଲେପ ଦିଆଯାଏ ତାହା ଏହି ପଇତା ଲାଗି ପରେ ଦୃଢ଼ ହୋଇଥାଏ । ଫୁଲୁରି ଲାଗି: ପଇତା ଲାଗି ପରେ ଫୁଲୁରି ତେଲ ଲାଗି ହୁଏ । ଏହାକୁ ମଧ୍ୟ 'ଶ୍ରୀତୈଳ' କୁହାଯାଏ । ଓଡ଼ିଆ ମଠ ପକ୍ଷରୁ ବିଧି ଅନୁସାରେ ପ୍ରସ୍ତୁତ ଏହି ତେଲ ଅଣସରର ସପ୍ତମ ଦିନରେ ଲାଗି କରାଯାଏ । ବିଗ୍ରହରେ ଏହି ତେଲ ଘଷାଯାଏ । ଶ୍ରୀକପଡ଼ା ଉତ୍ସବ ବା ପଟ୍ଟାବନ୍ଧନ: ଆଷାଢ଼ କୃଷ୍ଣ ଅଷ୍ଟମୀ: ଏହିଦିନ ଶ୍ରୀ ଜୀଉମାନଙ୍କୁ କପଡ଼ା ବନ୍ଧନ କରାଯାଏ । ଶ୍ରୀତୈଳ ଘଷାଯିବା ପରେ କ୍ଷୀର, ଅରୁଆ ଚାଉଳ ରନ୍ଧାଯାଇ ପଟସୂତ୍ରରେ ମର୍ଦ୍ଦନ କରାଯାଇ ବନ୍ଧାଯାଏ । ଏହି ପଟସୂତ୍ର ଶ୍ରୀଅଙ୍ଗ ଲାଗି ହେଇଥିବାରୁ ଏହାକୁ 'ଶ୍ରୀକାପଡ଼ା' କୁହାଯାଏ । ମସୃଣ ଲେପନ: ଆଷାଢ଼ କୃଷ୍ଣ ନବମୀ: ଶ୍ରୀକାପଡ଼ା ବନ୍ଧାଯିବା ପରେ ସର୍ବାଙ୍ଗରେ ଏକ ଲେପ ଦିଆଯାଏ । ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ରାଶିତେଲ, ଏବଂ ଝୁଣା ଇତ୍ୟାଦି ଲେପନ କରାଯାଏ । ଚକା ବିଜେ: ଆଷାଢ଼ କୃଷ୍ଣ ଦଶମୀ: ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏକ ଚକା ଉପରେ ବିଜେ କରାଯାଏ । ପାରମ୍ପରିକ ରୀତି ମତେ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ । ଦଶମୂଳ ମୋଦକ ବେଲଛେଲି, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣି, ଅକ୍ରାନ୍ତି, ପାଟେଳି ଓ ଲମ୍ବି କୋଳି ଆଦି ଚେରମୂଳିରୁ ପ୍ରସ୍ତୁତ କରାଯାଇଥାଏ । ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରିବା କରିବା ପରେ ଅଣସର ଘରେ ଶୋଇରହିଥିବା ଜୀଉମାନେ ଉଠି ଚକା ଉପରକୁ ବିଜେ କରିଥାନ୍ତି । ତିନିଟି ପଥର ଚକତି ଉପରେ ଶ୍ରୀ ଜୀଉମାନଙ୍କୁ ଅବସ୍ଥାପିତ କରି କସ୍ତୁରି, କୁଙ୍କୁମ ଇତ୍ୟାଦି ଲେପନ କରାଯାଏ। ଏହି ଚକତିମାନଙ୍କ ମଧ୍ୟରୁ ଗୋଟିକରେ ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ତଥା ଅନ୍ୟ ଗୋଟିଏ ଲେଖାଁଏରେ ଶ୍ରୀବଳଭଦ୍ର ଓ ସୁଭଦ୍ରା ଅବସ୍ଥାପିତ ହୁଅନ୍ତି । ଚନ୍ଦନ ଲାଗି: ଆଷାଢ଼ କୃଷ୍ଣ ଏକାଦଶୀ: ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ ଓ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯାଏ । ଠାକୁରମାନେ ସୁସ୍ଥ ହୋଇଥିବାରୁ ଏକାଦଶୀଠାରୁ ଅଣସର ଘରେ ଠାକୁରମାନଙ୍କ ପୂଜା ସମୟରେ ଘଣ୍ଟ ବାଜିବା ସହ, ଭୋଗରେ ତୁଳସୀ ପଡ଼ିଥାଏ । ଖଡ଼ି ଲାଗି: ସେହିଦିନ ରାତିରେ ବିଗ୍ରହମାନଙ୍କୁ ଖଡ଼ି ଲେପ ଦିଆଯାଏ । ଓଷୁଅ ଲାଗି ଓ ରାଜ ପ୍ରସାଦ ବିଜେ : ଆଷାଢ଼ କୃଷ୍ଣ ଦ୍ୱାଦଶୀ: ମହାପ୍ରଭୁଙ୍କର ଦେହରେ ଯେଉଁ ଔଷଧ ଲାଗି ହୁଏ ତାହା ଏକ ସ୍ୱତନ୍ତ୍ର ପଦ୍ଧତିରେ ପ୍ରସ୍ତୁତ ହୁଏ । ରାଶି ତେଲରେ ଝୁଣା, କର୍ପୂର, କସ୍ତୁରୀ ଓ କେତେକ ସୁଗନ୍ଧିତ ଦ୍ରବ୍ୟ ମିଶାଯାଇ ଏହା ରନ୍ଧାଯାଏ । ଶ୍ରୀଅଙ୍ଗରୁ ଯେଉଁ ଔଷଧ, କରାଳ, ଚନ୍ଦନ ଓ ପାଟଡୋର ଝରି ପଡ଼େ ତାହା ରୂପାଥାଳିରେ ସଂଗ୍ରହ ହୁଏ । ଏହାକୁ ନିର୍ମାଲ୍ୟ କୁହାଯାଏ । ୟାକୁ ନେଇ ଦଇତାପତି ଓ ପତିମହାପାତ୍ର ସେବକମାନେ ଶ୍ରୀନହରକୁ ଯାଇ ଜଗନ୍ନାଥଙ୍କ ସୁସ୍ଥ ହେବା ଖବର ଦିଅନ୍ତି । ଅଣସର ତ୍ରୟୋଦଶୀ: ଆଷାଢ଼ କୃଷ୍ଣ ତ୍ରୟୋଦଶୀ: ଶ୍ରୀ ଜୀଉମାନଙ୍କର ଘଣା ଲାଗି ଓ ପାଟ ଡୋରୀ ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି ହୁଏ । ଗହମ ଗୁଣ୍ଡ କନାରେ ଛଣାହୋଇ ଖଳି ପ୍ରସାଦ ପ୍ରସ୍ତୁତ କରାଯାଏ । ଏବଂ ଶଙ୍ଖକୁ ପୋଡ଼ି ଯେଉଁ ଭସ୍ମ ବାହାରେ ତାହା ଖଡ଼ି ପ୍ରସାଦ ଭାବେ ବିଦିତ । ବନକ ଲାଗି: ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ: ଦତ୍ତ ମହାପାତ୍ର ସେବକମାନେ ଗାଢ଼ ହେଙ୍ଗୁଳ, ଶୁଦ୍ଧ ଶଙ୍ଖ, ଅଅଁଳା, ତମ୍ବା, କଜ୍ୱଳ, କୁଙ୍କୁମ, ହରିତାଳ, ଫୁଲ ଖଡ଼ି ଗୁଣ୍ଡ କରି ରାଶି ତେଲ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କରନ୍ତି । ବନକ ଲାଗିରେ ଜୀଉମାନଙ୍କର ରୂପ କାମ କରାଯାଏ । ଚକା ଅସରପ: ନୂତନ କନା ଓ ତୁଳାରେ ଯନ୍ତ୍ର ଆକାରରେ ପ୍ରସ୍ତୁତ ହୋଇଥିବା ଏବଂ ଶାସ୍ତ୍ରୀୟ ବିଧିରେ ତଥା ଶାବର ତନ୍ତ୍ର ପରମ୍ପରାରେ ସଂସ୍କାରିତ ହୋଇଥିବା ଏକ କୋମଳ ଚକା ସଦୃଶ ଗୋଲ ଆସନକୁ ବିଗ୍ରହଙ୍କୁ ଲାଗି କରାଯାଏ । ଏହାକୁ ଚକା ଅସରପ ନୀତି କୁହାଯାଏ । ଏହି ଦିନ ହିଁ ଅଣସରରର ଶେଷ ଦିବସ । ନବଯୌବନ ଦର୍ଶନ: ଆଷାଢ଼ ଅମାବାସ୍ୟା (ଉଭା ଅମାବାସ୍ୟା): ଏହିଦିନ ନୂତନ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଙ୍କ ଦର୍ଶନ ନିମନ୍ତେ ଉଭା କରାଯାଏ । ଶ୍ରୀଜଗନ୍ନାଥଙ୍କ ଅଣସର ଦୁଇପ୍ରକାର ପାଳିତ ହୁଏ ଯଥା: ୧. ସାଧାରଣ ଅଣସର ଓ ୨. ମହା ଅଣସର ।

ସାଧାରଣ ଅଣସର

ଏହା ୧୫ ଦିନ ପାଇଁ ପ୍ରତିବର୍ଷ ଗୁଣ୍ଡିଚା ପୁର୍ବରୁ ପାଳିତ ହୁଏ।

ମହା ଅଣସର

ଅଣସର ପ୍ରତିବର୍ଷ ଗୁଣ୍ଡିଚା ପୂର୍ବରୁ ୧୫ ଦିନ ପାଇଁ ପାଳିତ ହୁଏ । ତେବେ ମହା ଅଣସର ୪୫ଦିନ ପାଇଁ ପ୍ରତି ନବକଳେବର ପୂର୍ବରୁ ପାଳିତ ହୁଏ ।

ବିଧି

ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉଙ୍କ ଗଜାନନ ବେଶ ଅନୁଷ୍ଠିତ ହୁଏ । କୁହାଯାଏ, ପୁଷ୍ପ ଅଳଙ୍କାରରେ ଆଚ୍ଛାଦିତ ହୋଇ ଅତ୍ୟଧିକ ସ୍ନାନ କରିବା ହେତୁ ଶ୍ରୀଜୀଉମାନେ ଅସୁସ୍ଥ ହୋଇପଡନ୍ତି ଏବଂ ଅନବସର ଗୃହରେ ଅବସ୍ଥାନ କରନ୍ତି । ନବକଳେବର ପୂର୍ବରୁ ଏହି ବିଧି ମହା ଅଣସର ନାମରେ ଖ୍ୟାତ । ମହା ଅଣସର ଦୁଇ ଭାଗରେ ବିଭକ୍ତ । ପ୍ରଥମେ କୈବଲ୍ୟ ବୈକୁଣ୍ଠରେ ବୈଦିକ ବିଧି ଅନୁସରେ ଯଜ୍ଞ ଚାଲିଥିବା ବେଳେ ସପ୍ତ ମଣ୍ଡପରେ ମହାପ୍ରଭୁଙ୍କ ନୂତନ ବିଗ୍ରହ ଓ ମାଧବଙ୍କ ବିଗ୍ରହ ନିର୍ମାଣ ମଧ୍ୟ ସମ ଭାବରେ ଚାଲିଥାଏ । ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ଏହି ଅଣସର ଲୀଳା ଚାଲିଥାଏ । ଦ୍ୱିତୀୟ ଅଣସର ଲୀଳା ଶ୍ରୀମନ୍ଦିର ଗର୍ଭ ଗୃହର ଅଣସର ପିଣ୍ଡିରେ ଚାଲିଥାଏ । ଏହା ଦ୍ୱିତୀୟ ଅଷାଢ଼ ମାସ ପ୍ରତିପଦାଠାରୁ ଆରମ୍ଭ ହୁଏ । ଏହି ଦିନଠାରୁ ନୂତନ ବିଗ୍ରହଙ୍କ ସପ୍ତାବରଣ ନୀତି ଆରମ୍ଭ ହୋଇଥାଏ । ଏହି ନୀତି ସହିତ କେବଳ ଦଇତାପତି, ପତି ମହାପାତ୍ର, ଓ ଦତ୍ତ ମହାପାତ୍ର ସେବକ ଅଙ୍ଗାଙ୍ଗୀଭାବେ ଜଡ଼ିତ ଥାଆନ୍ତି । ଏହା ସମ୍ପୁର୍ଣ୍ଣ ଗୁପ୍ତ ଲୀଳା । ମହା ଅଣସର କାଳରେ କେତେକ ବିଶେଷ ନୀତି ପାଳନ କରାଯାଏ ।

ମହା ଅଣସର ବେଳେ ରାଘବ ଦାସ ମଠ ତରଫରୁ ସର୍ବାଙ୍ଗପଂକ୍ତି ଭୋଗ ଲାଗି କରାଯାଏ । ଏହି ସମୟରେ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା ପାଆନ୍ତି । ମହା ଅଣସର କାଳେ ନିର୍ମାଣ ମଣ୍ଡପରେ ଦିବ୍ୟ ଦାରୁଙ୍କ ପୂଜା ନୃସିଂହ ମନ୍ତ୍ରରେ କରାଯାଏ । ଏହି ସମୟରେ ଖଡିଲାଗି ଏବଂ ବନକଲାଗି ନୀତି ସଂପନ୍ନ କରାଯାଏ । ଏହି ସମୟରେ ବିଗ୍ରହମାନଙ୍କର ପରିବର୍ତ୍ତନ ହୁଏ ।

ମହା ଅଣସର ପିଣ୍ଡି ବା ଗୃହ

ନବକଳେବରରେ ମହାପ୍ରଭୁଙ୍କର ସ୍ନାନ ନୀତି ପରେ ରତ୍ନବେଦୀ ସମ୍ମୁଖରେ ବାଉଁଶ ତାଟି ପରିବେଷ୍ଠିତ ଅସ୍ଥାୟୀ ଗୃହକୁ ମହା ଅଣସର ଗୃହ ବା ନିରୋଧନ ଗୃହ କୁହାଯାଏ । ଗୃହରେ ପରିବେଷ୍ଠିତ ତାଟିକୁ ଅଣସର ତାଟି କୁହାଯାଏ । ଅଣସର ଗୃହରେ ସମ୍ପାଦିତ ନୀତିକୁ ଅଣସର ନୀତି କୁହାଯାଏ । ଅଣସର ଗୃହକୁ ଗୁପ୍ତ ନୀତି ନିମନ୍ତେ ପ୍ରବେଶ ପାଇଁ ଏକ ଛୋଟ ତାଟି ଦ୍ୱାର ଥାଏ ଏହାକୁ ଧୁକୁଡ଼ି ଦ୍ୱାର କୁହାଯାଏ । ଏହି ଦୁଆର ଦେଇ ଦଇତା ଓ ପତି ମହାପାତ୍ର ସେବକ ଅଣସର ଗୃହକୁ ଗୁପ୍ତ ନୀତି ନିମନ୍ତେ ପ୍ରବେଶ କରିଥାନ୍ତି ।

ଆଧାର

ବାହାର ଆଧାର

ସମାଜ ସାପ୍ତାହିକ, ୨-୮ ଜୁଲାଇ ୨୦୧୧,ପୃଷ୍ଠା-୦୭

Seterusnya

ଜଗନ୍ନାଥ Odia · ~12 min

Lagi dalam Odia

Lihat semua →